କ୍ରିଡା

ଭାରତ-ପାକ୍‌ ମ୍ୟାଚ୍‌ର ବିଜ୍ଞାପନ କରି ସେହ୍ବାଗ ସମାଲୋଚିତ

ନୂଆଦିଲ୍ଲୀ: ସେପ୍ଟେମ୍ବର ୯ରୁ ୟୁଏଇରେ ଏସିଆ କପ୍ ଟ୍ବେଣ୍ଟି ୨୦ ଟୁର୍ଣ୍ଣାମେଣ୍ଟ ଖେଳାଯିବ। ଏହି ଟୁର୍ଣ୍ଣାମେଣ୍ଟରେ ୧୪ରେ ଭାରତ-ପାକିସ୍ତାନ ମୁକାବିଲା ହେବ। ଏହି ଟୁର୍ଣ୍ଣାମେଣ୍ଟର ଟିଭି ପ୍ରସାରଣ ଅଧିକାର ପାଇଥିବା ସୋନି ସ୍ପୋର୍ଟସ ନେଟ୍‌ୱାର୍କ ଏସିଆ କପ୍ ସହ ଭାରତ-ପାକ୍‌ ମୁକାବିଲାର ପ୍ରଚାର ପାଇଁ ଏକ ଭିଡିଓ ଛାଡ଼ିଛି। ଏହି ବିଜ୍ଞାପନରେ ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବ, ପାକିସ୍ତାନର ତାରକା ପେସ୍‌ ବୋଲର ସାହିନ୍ ଶାହା ଆଫ୍ରିଦି, ପୂର୍ବତନ ଭାରତୀୟ ଓପ୍‌ନର ବୀରେନ୍ଦ୍ର ସେହ୍ବାଗଙ୍କ ସହ ଅନ୍ୟ କଳାକାର ଅଛନ୍ତି।

ଭାରତ-ପାକିସ୍ତାନ ହାଇ ଭୋଲ୍‌ଟେଜ ମ୍ୟାଚ୍‌ ପୂର୍ବରୁ କ୍ରିକେଟ୍‌ପ୍ରେମୀଙ୍କୁ ଉତ୍ସାହିତ କରିବା ପାଇଁ ଏହି ଭିଡିଓ ଉଦ୍ଦିଷ୍ଟ। ତେବେ ଏହି ଭିଡିଓକୁ; ବିଶେଷକରି ବୀରେନ୍ଦ୍ର ସେହ୍ବାଗଙ୍କୁ ଭାରତୀୟ ଜନତା କଠୋର ସମାଲୋଚନା କରିଛନ୍ତି। ଏପ୍ରିଲ ୨୩ରେ ପହଲଗାଓଁରେ ପାକିସ୍ତାନ ସମର୍ଥିତ ଆତଙ୍କବାଦୀଙ୍କ ଆକ୍ରମଣରେ ୨୬ ଜଣ ସାଧାରଣ ଜନତା ପ୍ରାଣ ହରାଇବା ପାକିସ୍ତାନ ବିପକ୍ଷରେ ଭାରତୀୟ କ୍ରିକେଟ୍‌ ଦଳ ମ୍ୟାଚ୍‌ ଖେଳିବାକୁ କ୍ରିକେଟ୍‌ପ୍ରେମୀ ନାପସନ୍ଦ କରିବା ସହ ଉକ୍ତ ବିଜ୍ଞାପନରେ ଥିବା ବ୍ୟକ୍ତିମାନଙ୍କୁ ଭର୍ତ୍ସନା କରିଛନ୍ତି।

ସାମାଜିକ ଗଣମାଧ୍ୟମ ଜରିଆରେ ସେମାନେ ଏହି ବିଜ୍ଞାପନକୁ ସମାଲୋଚନା କରିବା ସହ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। କିଛି ବ୍ୟକ୍ତି ଏସିଆ କପ୍‌କୁ ସମ୍ପୂର୍ଣ୍ଣ ବାସନ୍ଦ ପାଇଁ ଆହ୍ବାନ ଜଣାଇଥିବା ବେଳେ ଆଉ କିଛି ସୋନି ସ୍ପୋର୍ଟସ ନେଟ୍‌ୱାର୍କକୁ ବାସନ୍ଦ ପାଇଁ ଆହ୍ବାନ ଦେଇଛନ୍ତି। ପାକିସ୍ତାନ ବିପକ୍ଷରେ ମ୍ୟାଚ୍‌ ଖେଳିବାକୁ ଭାରତୀୟ ଦଳ ପଠାଇଥିବା ବିସିସିଆଇ ସହ ଏହି ବିଜ୍ଞାପନରେ ଭାରତ-ପାକିସ୍ତାନ ମ୍ୟାଚ୍‌ର ପ୍ରଚାର କରିବା ଯୋଗୁଁ ବୀରେନ୍ଦ୍ର ସେହ୍ବାଗଙ୍କୁ ମଧ୍ୟ ସେମାନେ ସମାଲୋଚନା କରିଛନ୍ତି।

Leave a Reply

Your email address will not be published. Required fields are marked *